ଆଜି ଅପରାହ୍ନର ଖବର-ଅକ୍ଟୋବର ମାସ ୨୧ ତାରିଖ ୨୦୨୩ ମସିହା

 



ଖବର ଆଜିର
1-୬୪ତମ ପୁଲିସ ଶଦୀଦ ଦିବସ – ବୀର ଶହୀଦଙ୍କୁ ଓଡିଶା ପୁଲିସର ଶ୍ରଦ୍ଧାଞ୍ଜଳି

ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ୬୪ ତମ ପୁଲିସ ଶହୀଦ ସ୍ମୁତି ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

2-ଲୋହିତ ଗ୍ରହରେ ତିଆରି ହେବ ‘ଇଟା ଘର’
ଲାଲ ଗ୍ରହ ମଙ୍ଗଳ ଉପରେ ଅଧ୍ୟୟନ କେବେଠାରୁ ଜାରି ରହିଛି। ଆଗାମୀ ପର୍ଯ୍ୟାୟରେ ମଣିଷ ସେଠି ଯାଇ ବସତି ଆରମ୍ଭ କରିବ ବୋଲି ବିଶ୍ବସ୍ତରୀୟ ମହାକାଶ ସଂସ୍ଥାମାନେ ଯୋଜନା କରିବା ସହ ସେଠି ଲୋକଙ୍କ ପାଇଁ କଲୋନି ଡିଜାଇନ୍ ମଧ୍ୟ କଲେଣି। ଗବେଷକଦଳ କହିଛନ୍ତି ସେମାନେ ଏକ ପ୍ରକାର ସ୍ବତନ୍ତ୍ର ‘ସ୍ପେସ୍‌ ଇଟା’ ତିଆରି କରିବାର ଉପାୟ ଆବିଷ୍କାର କରିଛନ୍ତି। ଏହି ସ୍ପେସ୍ ଇଟା ତିଆରି କରିବା ପାଇଁ ମଙ୍ଗଳ ଗ୍ରହରୁ ମାଟି ଏବଂ ଅନ୍ୟାନ୍ୟ କେତେପ୍ରକାର ଯୌଗିକ ବ୍ୟବହାର କରାଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି ଏହି ଇଟା ବହୁତ ଶସ୍ତା ଏବଂ ଶକ୍ତିଶାଳୀ।
3-ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ନେଦର୍‌ଲାଣ୍ଡ୍‌ସ୍‌

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍‌ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ନେଦର୍‌ଲାଣ୍ଡସ୍‌ ଟିମ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।
4-ସଫଳ ହେଲା ‘ଇସ୍ରୋ’ର ‘ଟିଭି-ଡି୧’ ମିସନ୍‌ ପରୀକ୍ଷଣ: ବଙ୍ଗୋପସାଗରରେ ଅବତରଣ କଲା ‘କ୍ରୁ ମଡ୍ୟୁଲ୍‌’

ବେଙ୍ଗାଲୁରୁ: ଆଜି ସକାଳ ୧୦ ବେଳେ ‘ଇସ୍ରୋ’ ତା’ର ଆକାଙ୍‌କ୍ଷୀ ‘ଗଗନଯାନ ଅଭିଯାନ’ ସମ୍ପର୍କୀୟ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ କରିଛି। ଆଜି ୩ ଥର ଉତ୍‌କ୍ଷେପଣ ସ୍ଥଗିତ ରଖାଯିବା ପରେ, ପରିଶେଷରେ ପୂର୍ବାହ୍ନ ୧୦ ବେଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ମହାକାଶ କେନ୍ଦ୍ର’ରୁ ତରଳ ଇନ୍ଧନ ଚାଳିତ ଏକଥାକିଆ ‘ଟେଷ୍ଟ୍‌ ଭେଇକ୍ଲ୍‌’ରେ (ଟିଭି-ଡି୧) ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁ ଏସ୍କେପ୍‌ ସିଷ୍ଟମ୍’ ବା ‘କ୍ରୁ ମଡ୍ୟୁଲ୍‌’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

5-ମାନବିକତା ଦୃଷ୍ଟିରୁ ୨ଜଣ ଆମେରିକୀୟ ମହିଳା ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌
ଗାଜା ସିଟି: ପଣବନ୍ଦୀ ରଖିଥିବା ୨ଜଣ ଆମେରିକୀୟଙ୍କୁ ମାନବିକତା ଦୃଷ୍ଟିରୁ ହମାସ୍‌ର ସଶସ୍ତ୍ର ସଙ୍ଗଠନ ‘ଇଜ୍‌ ଏଲ୍‌-ଦୀନ୍‌ ଅଲ୍‌-କସମ୍‌ ବ୍ରିଗେଡ୍‌ସ୍‌’ ଶୁକ୍ରବାର ଦିନ ମୁକ୍ତ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ଇସ୍ରାଏଲୀୟ ସରକାର କହିଛନ୍ତି, ୫୯ ବର୍ଷୀୟ ଜୁଡିଥ୍‌ ସାଇ ରାନନ୍‌ ଓ ତାଙ୍କ ୧୮ ବର୍ଷୀୟ ଝିଅ ନାଟାଲାଇ ଶୋଶାନା ରାନନ୍‌ ଶୁକ୍ରବାର ରାତିରେ ଇସ୍ରାଏଲ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି।ସେମାନଙ୍କ ଅବସ୍ଥା ବିଷୟରେ କୌଣସି ବିବରଣୀ ଦିଆଯାଇ ନ ଥିଲେ ସୁଦ୍ଧା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଖବର ପାଇ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି। ମୁକ୍ତ ହୋଇଥିବା ଦୁଇ ମହିଳାଙ୍କ ସହିତ ବାଇଡେନ୍‌ ଟେଲିଫୋନ୍‌ ମାଧ୍ୟମରେ କଥାବାର୍ତ୍ତା ବି କରିଛନ୍ତି।

Comments